i/Odisha
  • ଐତିହ ସରଂଚନା ରେ ଅନନ୍ୟ ଉତ୍କଳ

    ଐତିହ ସରଂଚନା ରେ ଅନନ୍ୟ ଉତ୍କଳ ________________________ ପ୍ରାଚୀନ ଓଡିଶା ର ସାଂସ୍କୃତିକ ତଥା ସାମାଜିକ ପୃଷ୍ଠଭୂମିର ବିବିଧତା ଏହାର ଐତିହାସିକ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥାନ, ପାରମ୍ପାରିକ କଳା, ମୂର୍ତ୍ତି, ନୃତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରତିଫଳିତ ହୋଇଆସିଛି। ଏହି ସବୁ ଅନନ୍ୟ ବିଭବ ସମ୍ମିଳିତ ଭାବରେ ଓଡ଼ିଶାକୁ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମୂଳଦୁଆ ପ୍ରଦାନ କରିଛି | ପ୍ରାଚୀନ କାଳରୁ ଓଡ଼ିଶା ବହୁ ସଂଖ୍ୟାରେ ପଣ୍ଡିତ, କଳାକାର ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି।ଉତ୍କୃଷ୍ଟ କଳାର ରାଜ୍ୟ ଭାବେ ଓଡ଼ିଶା ଏକଦା ଉତ୍କଳ ନାମରେ ନାମିତ ଥିଲା। ଓଡ଼ିଶାର ପ୍ରମୁଖ ଐତିହ ମାନଙ୍କୁ ଯେତେବଳେ ଅାମେ ମନେପକାଉ , ସେତେବେଳେ ସର୍ବାଗ୍ରେ ପୁରୀ ଜଗନ୍ନାଥ ଓ କୋଣାର୍କର ସୁର୍ଯ୍ୟ ମନ୍ଦିର ପ୍ରସଂଗ ପ୍ରତେ କ ଓଡ଼ିଆ ର ମନକୁ ଆସେ। ଆସନ୍ତୁ ଏହି କ୍ରମରେ ବହୁ ପରାକ୍ରମୀ ଓ କଳା ପ୍ରେମୀ ଲାଙ୍ଗୁଳା ନରସିଂହ ଦେବଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଦିଗ ଉପରେ ଆଲୋକପାତ କରିବା। ଶତାବ୍ଦୀ ଶତାବ୍ଦୀ ଧରି ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆଙ୍କ ଉଦ୍ଧାର କର୍ତ୍ତା ହୋଇ ରହି ଆସିଛନ୍ତି। ସମଗ୍ର ବିଶ୍ବ ଦରବାରରେ ଓଡ଼ିଆଙ୍କ ଠିକଣା ହେଉଛି ସେମାନେ ଜଗନ୍ନାଥ ଧାମ ର ଅଧିବାସୀ। କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ର ରେ ବିଦ୍ୟମାନ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ଆଗରେ ଆଶିର୍ବାଦ୍ ଭିକ୍ଷା କରୁଥିବା ଗଙ୍ଗ ବଂଶ ର ରାଜା ଲାଙ୍ଗୁଳା ନରସିଂହ ଦେବ ଙ୍କ ପ୍ରତିମୂର୍ତ୍ତି ଦେଖିବା ପରେ ଏକଥା ସ୍ପଷ୍ଟ ବୁଝା ପଡେ ଯେ ଏକ ହଜାର ବର୍ଷ ତଳେ ମଧ୍ୟ ପ୍ରଭୁ ଜଗନ୍ନାଥ ଏ ଜାତିର ପରମ ଆରାଧ୍ୟ ଥିଲେ। କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ର ନିର୍ମାଣ କର୍ତ୍ତା ଲାଙ୍ଗୁଳା ନରସିଂହ ଦେବ 1 ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଥିଲେ ଏବଂ ସେ ତାଙ୍କର ପ୍ରତ୍ୟେକ ଯୁଦ୍ଧ ଅଭିସାର ରେ ବାହାରିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ବିଶେଷ ପୂଜାର ଆୟୋଜନ କରୁଥିଲେ । ନରସିଂହ ଦେବ 1 ମଧ୍ୟଯୁଗୀୟ ଓଡ଼ିଶାର ପୂର୍ବ ଗଙ୍ଗ ରାଜବଂଶର ଜଣେ ଶକ୍ତିଶାଳୀ ରାଜା(1238-1264) ତଥା ଯୋଦ୍ଧା ଥିଲେ । ସେ ବଙ୍ଗଳାର ସୁଲତାନଙ୍କ ମୁସଲିମ ବାହିନୀକୁ ବାରମ୍ବାର ପରାସ୍ତ କରିଥିଲେ, ଯେଉଁମାନେ ତାଙ୍କ ପିତା ଅନଙ୍ଗ ଭୀମଦେବ ତୃତୀୟଙ୍କ ସମୟରୁ ତାଙ୍କ କଳିଙ୍ଗ (ପ୍ରାଚୀନ ଓଡିଶା) ଉପରେ ପୂର୍ବ ଗଙ୍ଗ ରାଜବଂଶର ଶାସନକୁ ଧମକ ଦେଇ ଆସୁଥିଲେ। ଏଠାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କାନ୍ଥରୁ ଏକ ଆକର୍ଷଣୀୟ କଳାକୃତି ସମ୍ବନ୍ଧରେ ଉଲ୍ଲେଖ କରିବାକୁ ଯାଉଛି (ଫଟୋ ଦିଆଯାଇଛି) | ଯଦି ଆପଣ ଯତ୍ନର ସହ ଦେଖନ୍ତି , ବଡ଼ ଧଳା ଚିହ୍ନିତ ଆୟତାକାର କ୍ଷେତ୍ର ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖି ପାରିବେ, ଯଦିଓ ଏହା କ୍ଷୟ ହୋଇଯାଇଛି | ଭଗବାନ ଜଗନ୍ନାଥଙ୍କ ଉଭୟ ପାର୍ଶ୍ୱରେ ଦେବୀ ଦୁର୍ଗା, ମହିଷାସୁର ମର୍ଦିନୀ ( କ୍ଷୟପ୍ରାପ୍ତ) ଏବଂ ଏକ ଶିବ ଲିଙ୍ଗ ( ଅତ୍ୟଧିକ କ୍ଷୟପ୍ରାପ୍ତ, ପ୍ରାୟ ଅଦୃଶ୍ୟ) ପ୍ରତିମୂର୍ତ୍ତି ଉପସ୍ଥିତ | ଛୋଟ ଧଳା ଚିହ୍ନିତ ଆୟତାକାର କ୍ଷେତ୍ର ଭିତରେ ଶାସକ ରାଜାଙ୍କ ପ୍ରତିଛବି ଦେଖିବାକୁ ମିଳେ | ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ମଧ୍ୟ କୋଣାର୍କର ସୁର୍ଯ୍ୟ ମନ୍ଦିର ପରିସରରୁ ସଂଗୃହୀତ ଏହିପରି ଏକ କଳାକୃତି ଦେଖିବାକୁ ମିଳେ ଯାହା ଏକ ଅପେକ୍ଷାକୃତ କଠିନ ପଥରରୁ( କ୍ଲୋରାଇଟ୍ ସ୍ଲାବ୍) ନିର୍ମିତ ଯାହା ଅନେକ ସ୍ଥାପତ୍ୟକୁ ଅକ୍ଷୁର୍ଣ୍ଣ ରଖିଛି | ସେହି କଳାକୃତିର ଫଟୋ ଦିଆଯାଇଛି | ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଭୋଗମଣ୍ଡପର ବାହ୍ୟ କାନ୍ଥରେ ମଧ୍ୟ ସମାନ କଳାକୃତି ଦେଖିବାକୁ ମିଳେ ଯାହା ପ୍ରାୟ ଅକ୍ଷୁର୍ଣ୍ଣ | କେତେକ ଐତିହାସିକ ବିଶ୍ୱାସ କରନ୍ତି ଯେ, ଏହି କଳାକୃତି ଭୋଗ ମଣ୍ଡପ ବାହ୍ୟ କାନ୍ଥର ଅନ୍ୟାନ୍ୟ କଳାକୃତି ସହିତ ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଭୁଶୁଡ଼ିବା ପରେ ମରହଟ୍ଟାଙ୍କ ସମୟରେ ଅରୁଣ ସ୍ତମ୍ଭ ସହିତ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆମେ ଏହି କଳାକୃତିରୁ ସିଦ୍ଧାନ୍ତ ନେଇପାରୁ ଯେ ପ୍ରାଚୀନ କଳିଙ୍ଗଠାରେ ତିନୋଟି ପ୍ରମୁଖ ଧାର୍ମିକ ବିଶ୍ୱାସ (ବୈଷ୍ଣବବାଦ, ଶୈବବାଦ ଏବଂ ଶାକ୍ତବାଦ) ଥିଲା ଏବଂ ରାଜା ସେମାନଙ୍କ ମଧ୍ୟରେ ଧାର୍ମିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁଁ ନିରନ୍ତର ଚେଷ୍ଟା କରୁଥିଲେ। ଡକ୍ଟର ମନୋଜ ମିଶ୍ର
    12

© 2025 Indiareply.com. All rights reserved.